ଫ୍ୟାକ୍ଟ ଚେକ୍: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ମାଙ୍କଡ଼ ଡେଇଁବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ
ଦାବିରେ ନାହିଁ କୌଣସି ସତ୍ୟତା । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପରକୁ ମାଙ୍କଡ଼ ଆକ୍ରମଣ କରୁଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।

Claim :
ଏକ ଭାଇରାଲ ଭିଡିଓରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ମାଙ୍କଡ଼ ଡେଇଁପଡ଼ିଥିବା ଦେଖାଯାଇଛିFact :
ଭିଡିଓଟି AI ଦ୍ୱାରା ନିର୍ମିତ
ଭାଇରାଲ ହେଉଛି ଭିଡିଓ ସୋସିଆଲ ମିଡିଆ ସାଜିଛି ବାହକ । ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନାକିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି । କେତେବେଳେ ପାହାଡ଼ ଉପରେ ପଦ୍ମ ଫୁଟୁଛି ତ କେତେବେଳେ ଛୋଟିଆ ପିଲାଟିଏ କାର୍ କିମ୍ବା ପ୍ଲେନ ଚଲାଉଛି । ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । କିଛିଦିନ ହେବ ବିଭିନ୍ନ ଦେଶର ଶକ୍ତିଶାଳୀ ରାଜନେତା ଏବଂ କିଛି ଉଦ୍ୟୋଗୀଙ୍କ ଫ୍ୟାସନ ସୋର ଭିଡିଓ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାକି ପରେପରେ ଏଆଇ ଦ୍ୱାରା ନିର୍ମିତ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏବେ ଏହି ଏଆଇ ର ବ୍ୟବହାର ବିଭିନ୍ନ ରାଜନୈତିକ ଦଳ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ବିପକ୍ଷଙ୍କ ନେତାଙ୍କ ବିଭିନ୍ନ ପ୍ରକାରର ଭିଡିଓ ବନାଇ ତାଙ୍କ ଗାରିମା ତଳେ ପକାଇବା ପାଇଁ ଏହି ଏଆଇ କୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି ।
ଅଧିକ ଲାଇକ କମେଣ୍ଟ ଆଶାରେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ନପରଖି ସେୟାର କରିବାରେ ଲାଗିଛନ୍ତି । ତେଣୁ ବହୁଳ ମାତ୍ରାରେ ଭୁଲ୍ ସୂଚନା ବ୍ୟପିବାରେ ଲାଗିଛି ।
ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ସୁରକ୍ଷା କର୍ମୀ କେନ୍ଦ୍ର ମନ୍ତ୍ରୀ ଅମିତ ସାହାଙ୍କୁ ଘେରି ଠିଆ ହୋଇଥିବା ବେଳେ ଏକ ମାଙ୍କଡ଼ ଟିଏ ଆକ୍ରମଣ କରୁଛି । ଭିଡିଓ ସେୟାର କରି ୟୁଜର୍ସ ଲେଖିଛନ୍ତି, ସୁରକ୍ଷା ଘେରରେ ଥାଇ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପରକୁ ମାଙ୍କଡ଼ ଟିଏ ଆକ୍ରମଣ କରୁଛି କିପରି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।
ତଦନ୍ତ କରିବାକୁ ଯାଇ ଉକ୍ତ କିୱାର୍ଡ ଗୁଡ଼ିକୁ ବ୍ୟବହାର କରି ଅନୁସନ୍ଧାନ କରିବାରୁ ଏଭଳି କୌଣସି ଘଟଣା ଘଟିଥିବାର ସୂଚନା ମିଳିନଥିଲା ।
ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥାନ୍ତା ।
ଅନ୍ୟପଟେ ଭାଇରାଲ ଭିଡିଓକୁ ଭଲଭାବେ ଯାଞ୍ଚ କରିବା ପରେ, ଭିଡିଓରେ କିଛି ଅପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେପରିକି ଗୋଟିଏ ଫ୍ରେମରେ, ଜଣେ ପୋଲିସ ଅଧିକାରୀଙ୍କ ହାତ ଅଦୃଶ୍ୟ ହୋଇଯାଉଛି, ଏବଂ ମାଙ୍କଡ଼ ଡେଇଁବା ସମୟରେ ଭିଡ଼ର ଗତି ଅପ୍ରାକୃତିକ ଏବଂ ଅଦ୍ଭୁତ ଦେଖାଯାଉଛି । ଯାହାକି ଏଆଇର ସୂଚନା ।
ତେଣୁ ଭିଡିଓଟିର ସତ୍ୟତା ଯାଞ୍ଚ କରିବାକୁ ଯାଇ ଉକ୍ତ ଭିଡିଓକୁ ଡିପଫେକ୍-ଓ-ମିଟରରେ ପରୀକ୍ଷା କରିଥିଲୁ । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାଇରାଲ ଭିଡିଓଟି ଏଆଇ ଦ୍ଵାରା ନିର୍ମିତ ।
ତେବେ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଭାଇରାଲ ଭିଡିଓର ଏକ ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଏକ ୱେବଲିଙ୍କ ହସ୍ତଗତ ହୋଇଥିଲା ।
ଉକ୍ତ ଲିଙ୍କଟି ଇଣ୍ଡିଆନ ଏକ୍ସପ୍ରେସର ହୋଇଥିବା ବେଳେ, ୨ ଜୁନ ୨୦୨୯ରେ ଏକ ଖବର ପ୍ରସାରଣ କରି ଇଣ୍ଡିଆନ ଏକ୍ସପ୍ରେସ ଉଲ୍ଲେଖ କରିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରି, ଅମିତ ଶାହା ବିଭିନ୍ନ ରାଜ୍ୟର ରାଜ୍ୟପାଳ, ତାଙ୍କର କନିଷ୍ଠ ମନ୍ତ୍ରୀ ଏବଂ ବିଜେପି ନେତାଙ୍କ ସହ ବୈଠକ କରିଥିଲେ ।
ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବରରେ ଯେଉଁ ଫଟୋ ପ୍ରକାଶିତ ହୋଇଥିଲା ତାହା ଭାଇରାଲ ଭିଡିଓର ଏକ ଅଂଶ ଭଳି ଦେଖିବାକୁ ପାଇଥିଲୁ ।
ହେଲେ ଉକ୍ତ ଖବରରେ କୌଣସି ସ୍ଥାନରେ ମାଙ୍କଡ଼ ଆକ୍ରମଣ କଥା ଉଲ୍ଲେଖ ଥିବାର ପାଇନଥିଲୁ I
ସେହିପରି ଉକ୍ତ ଘଟଣାକୁ ନେଇ କିଛି ୟୁଟ୍ୟୁବ ଲିଙ୍କ୍ ମଧ୍ୟ ହସ୍ତଗତ ହୋଇଥିଲା କିନ୍ତୁ କୌଣସି ଭିଡିଓରେ ମାଙ୍କଡ଼ ଆକ୍ରମଣର ଦୃଶ୍ୟ ନଥିଲା ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପରକୁ ମାଙ୍କଡ଼ ଆକ୍ରମଣ କରୁଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।