ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ପୁରୁଣା ଅଟେ, ନିକଟରେ ହୋଇଥିବା ବିହାର ବନ୍ଦ୍ ସହ ନାହିଁ କୌଣସି ସମ୍ପର୍କ
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ ମସିହାର ଅଟେ, ଯେତେବେଳେ ସୁପ୍ରିମକୋର୍ଟ ରାୟ ବିରୋଧରେ କିଛି ସମ୍ପ୍ରଦାୟ ବିହାରରେ ବନ୍ଦ୍ ପାଳନ କରିଥିଲେ । ତେବେ ଉକ୍ତ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାକୁ ଯାଇ ପାଟଣା ପୋଲିସ୍ ଲାଠିଚାର୍ଜ କରିଥିଲା । ଉକ୍ତ ଭିଡିଓ ସହ ନିକଟରେ ହୋଇଥିବା ବିହାର ବନ୍ଦ୍ ସହ କୌଣସି ସମ୍ପର୍କ ନାହିଁ ।

Claim :
୯ ଜୁଲାଇ ୨୦୨୫ରେ ବିହାର ବନ୍ଦ୍ ର ଦୃଶ୍ୟ, ଆନ୍ଦୋଳନକାରୀଙ୍କୁ ପୋଲିସ୍ ର ଆଖିବୁଜା ମାଡ଼Fact :
ଭିଡିଓଟି ୨୦୨୪ ମସିହାର ଅଟେ, ଯେତେବେଳେ ସୁପ୍ରିମକୋର୍ଟ ରାୟକୁ କିଛି ସମ୍ପ୍ରଦାୟ ବିରୋଧ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପାଟଣା ପୋଲିସ୍ ଲାଠିଚାର୍ଜ କରିଥିଲା ।
ମହାଗଠବନ୍ଧନର ବିହାର ବନ୍ଦ। ବନ୍ଦରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବନ୍ଦ ପରିପ୍ରେକ୍ଷୀରେ ଗିରଫ ହୋଇଛନ୍ତି ବହୁ ନେତା। ରାହୁଲ କହିଛନ୍ତି ବିହାରର ଗରିବମାନଙ୍କ ଭୋଟ ଅଧିକାର ଛଡ଼ାଇନେବା ଲାଗି ଚାଲିଛି ଷଡ଼ଯନ୍ତ୍ର। ଏହି ପ୍ରକ୍ରିୟା ବନ୍ଦ ହେଉ ବୋଲି ସେ ଦାବି କରିଛନ୍ତି। ଆନ୍ଦୋଳନ ଅବସରରେ ପାଟନାର ଏନଏଚ ୩୦ରେ ଟାୟର ଜାଳି ରାସ୍ତା ଅବରୋଧ କରାଯାଇଛି। ବିଭିନ୍ନ ସ୍ଥାନରେ ରେଳରୋକ ବି କରାଯାଇଛି। ବିହାରରେ ଚାଲିଥିବା ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା ବିରୋଧରେ ମହାଗଠବନ୍ଧନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି।
ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ସହ ଏସଆଇଆର ବିରୋଧରେ ସ୍ଲୋଗାନ ଦେଇଥିଲେ। ବିହାରର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ବନ୍ଦ ପାଳନ ବି କରାଯାଉଛି। ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା କରାଯାଉଥିବାରୁ ଏହାକୁ ନେଇ ଗର୍ଜିଛନ୍ତି ବିରୋଧୀ। ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା ଆଳରେ ୨ କୋଟି ଭୋଟର ମତାଧିକାରରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରାଯାଇଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ବ୍ୟକ୍ତିଙ୍କୁ ପୋଲିସ୍ ଲାଠିରେ ମାରୁଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓଟି ନିକଟ ଦିନରେ ବିହାର ବନ୍ଦ୍ ର ଭିଡିଓ ବୋଲି ଦାବି ହୋଇଛି ।
ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ତାତ୍ସଲ୍ୟ କରି ଲେଖିଛନ୍ତି, ଯାହାବି ହେଉଛି ଶାନ୍ତିପୂର୍ଣ୍ଣ ଭାବେ ହେଉଛି, ବିହାର ବନ୍ଦ୍ ସମୟରେ ପାଟଣା ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ।
ଯାହାର ଲିଙ୍କ୍ ଏଠାରେ ଏବଂ ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ ମସିହାର ଅଟେ, ଯେତେବେଳେ ସୁପ୍ରିମକୋର୍ଟର ଏକ ରାୟ ବିରୋଧରେ ବନ୍ଦ୍ ପାଳନ କରାଯାଇଥିଲା । ଉକ୍ତ ଭିଡିଓ ସହ ନିକଟରେ ହୋଇଥିବା ବିହାର ବନ୍ଦ୍ ସହ ନାହିଁ କୌଣସି ସମ୍ପର୍କ ।
ତଦନ୍ତ କରିବାକୁ ଯାଇ ଆମେ ମହାଗଠବନ୍ଧନ ଦ୍ୱାରା ବିହାର ବନ୍ଦ୍ କିୱାର୍ଡ ସହ ଅନୁସନ୍ଧାନ କରିଥିଲୁ । ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରକାଶିତ ଏବଂ ପ୍ରସାରିତ ହୋଇଥିବାର ପାଇଥିଲୁ । ହେଲେ କୌଣସି ଗଣମାଧ୍ୟମରେ ଭାଇରାଲ ଭିଡିଓର ଅଂଶ ପାଇନଥିଲୁ । ଯଦି ଏଭଳି ଲାଠିଚାର୍ଜ ପାଟଣା ପୋଲିସ୍ ଦ୍ୱାରା ହୋଇଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ ହୋଇଥାନ୍ତା ।
ଅଧିକ ସୂଚନା ପାଇବାକୁ ଯାଇ ବିହାରର ଜଣେ ସାମ୍ବାଦିକ ହିମାଂଶୁ କୁମାର ଙ୍କୁ ଯୋଗାଯୋଗ କରିଥିଲୁ। ହିମାଂଶୁଙ୍କ କହିବା ଅନୁଯାୟୀ, ଉକ୍ତ ଭିଡିଓଟି ନିକଟରେ ହୋଇଥିବା ବିହାର ବନ୍ଦ୍ ସମୟର ନହୋଇଥାଇ ପାରେ । ଯଦି ଏଭଳି ଲାଠିଚାର୍ଜ ହୋଇଥାନ୍ତା ତେବେ ଉକ୍ତ ଘଟଣାକୁ ଆମେ ନିଶ୍ଚିତ ପ୍ରସାରିତ କରିଥାନ୍ତୁ, ବୋଲି କହିଛନ୍ତି ହିମାଂଶୁ ।
ଭାଇରାଲ ଭିଡିଓର ତଦନ୍ତ କରିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଟ୍ୱିଟର ଲିଙ୍କ୍ ହସ୍ତଗତ ହୋଇଥିଲା ।
ଉକ୍ତ ଭିଡିଓକୁ ଏଏନଆଇ ନିଜ ସୋସିଆଲ ମିଡିଆରେ ୨୧ ଅଗଷ୍ଟ ୨୦୨୪ରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି, ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ଉପରେ ରାୟ ବିରୁଦ୍ଧରେ ପାଟଣାରେ ଏକ ଦିନିକିଆ ଭାରତ ବନ୍ଦକୁ ସମର୍ଥନ କରି ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି ।
ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ଲକ୍ଷରୁ ଉର୍ଦ୍ଧ୍ବ ଭିୟୁ ମିଳିପାରିଥିବା ବେଳେ ବହୁମାତ୍ରାରେ ସେୟାର ହୋଇଥିବାର ଦେଖିବାକୁ ମିଳିଛି ।
ଭାଇରାଲ ଭିଡିଓଟି ସହ ଉକ୍ତ ଭିଡିଓ ବହୁମାତ୍ରାରେ ମେଳ ଖାଉଥିବାର ଦେଖି ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ତେଣୁ ଉକ୍ତ କିୱାର୍ଡ ବ୍ୟବହାର କରି ଆଉକିଛି ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଲାଇଭ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ ଲାଇଭ ଭିଡିଓଟି ୨୧ ଅଗଷ୍ଟ ୨୦୨୪ରେ ଅପଲୋଡ଼ ହୋଇଥିବା ବେଳେ ସେଥିରେ ଉଲ୍ଲେଖ ରହିଛି, ପଟଣାରେ ଆନ୍ଦୋଳନକାରୀଙ୍କୁ ଲାଠି ମାଡ଼, ବନ୍ଦ୍ ସମର୍ଥନ କରିବାକୁ ନେଇ ଲାଠିମାଡ଼ କରୁଛି ପୋଲିସ୍ ।
ଏହି ଭିଡିଓ ମଧ୍ୟରେ ଭାଇରାଲ ଭିଡିଓର ଅଂଶ ଥିବାର ଦେଖିବାକୁ ପାଇଥିଲୁ ।
ଉକ୍ତ ଘଟଣାକୁ ନେଇ ଏନଡିଟିଭି ଏକ ବିସ୍ତୃତ ଖବର ପ୍ରକାଶିତ କରିଥିଵାର ଦେଖିବାକୁ ମିଳିଛି। ଯେଉଁଥିରେ ଉଲ୍ଲେଖ ରହିଛି, ରାଜ୍ୟ ଚାକିରି ଏବଂ କଲେଜରେ ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ପ୍ରତିବାଦରେ 'ଭାରତ ବନ୍ଦ' ମଧ୍ୟରେ ପାଟନାରେ ପୋଲିସ ପ୍ରତିବାଦକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା । ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଯାଇ ପାଣି ମାଡ଼ ମଧ୍ୟ କରାଯାଇଥିଲା । ସଂରକ୍ଷଣ ବଚାଓ ସଂଘର୍ଷ ସମିତି ସମେତ ଦଳିତ ଏବଂ ଆଦିବାସୀ ଗୋଷ୍ଠୀ ଏହି ବନ୍ଦ ଡାକରା ଦେଇଥିଲେ ଏବଂ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟର କିଛି ସ୍ଥାନରେ ବିଭିନ୍ନ ପରିମାଣର ତୀବ୍ରତା ସହିତ ଏହାକୁ ପାଳନ କରାଯାଇଥିଲା ।
ସେହିପରି ଆଉକିଛି ଗଣମାଧ୍ୟମ ମଧ୍ୟ ଉକ୍ତ ଘଟଣା କୁ ପ୍ରସାରିତ କରିଥିଲେ, ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ ମସିହାର ଅଟେ, ଯେତେବେଳେ ସୁପ୍ରିମକୋର୍ଟ ରାୟ ବିରୋଧରେ କିଛି ସମ୍ପ୍ରଦାୟ ବିହାରରେ ବନ୍ଦ୍ ପାଳନ କରିଥିଲେ । ତେବେ ଉକ୍ତ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାକୁ ଯାଇ ପାଟଣା ପୋଲିସ୍ ଲାଠିଚାର୍ଜ କରିଥିଲା । ଉକ୍ତ ଭିଡିଓ ସହ ନିକଟରେ ହୋଇଥିବା ବିହାର ବନ୍ଦ୍ ସହ କୌଣସି ସମ୍ପର୍କ ନାହିଁ ।