ଫ୍ୟାକ୍ଟ ଚେକ୍: ଭାଇରାଲ ହେଉଥିବା ଦୁର୍ଘଟଣା ଗସ୍ତ ଭାରତୀୟ ସେନା ଗାଡ଼ିର ଭିଡିଓଟି ବହୁ ପୁରୁଣା, ପହଲଗାମ ଘଟଣା ସହ ନାହିଁ କୌଣସି ସମ୍ପର୍କ
ଭାଇରାଲ ହେଉଥିବା ଭିଡିଓଟି ଅନ୍ୟୁନ୍ୟ ୧୭ ଅପ୍ରେଲରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି, ଯାହାକି ପହଲଗାମ ଆତଙ୍କ ଘଟଣାର ପୂର୍ବର ବୋଲି ଜଣାପଡିଛି । ତେଣୁ ଉକ୍ତ ଭିଡିଓର ପହଲଗାମ ଘଟଣା ସହ କୌଣସି ସମ୍ପର୍କ ନାହିଁ । ସେହିପରି ଖସଡ଼ା ରାସ୍ତା ହେତୁ ବାରମୁଲ୍ଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ କାହାରି ମୃତ୍ୟୁ ଘଟିନାହିଁ ।

Claim :
ପହଲଗାମ ଆତଙ୍କ ପରେପରେ ପାକିସ୍ତାନକୁ ଯାଉଥିବା ଭାରତୀୟ ସେନାର ଏକ ଗାଡ଼ି ଦୁର୍ଘଟଣା ଘଟାଇଛି, ଏଥିରେ ୬ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି ।Fact :
ଭାଇରାଲ ଭିଡିଓଟି ବହୁ ପୁରୁଣା ଏବଂ ବାରମୁଲ୍ଲା ଅଞ୍ଚଳର ଅଟେ । ଖସଡ଼ା ରାସ୍ତା ହୋଇଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା । ଦୁର୍ଘଟଣାରେ କୌଣସି ଧନଜୀବନ ନଷ୍ଟ ହୋଇନଥିବା ଜଣାଯାଇଛି ।
ପହଲଗାମ ଆକ୍ରମଣ ପରେ ହାଇ ଆଲର୍ଟରେ ଭାରତର ବିଭିନ୍ନ ସ୍ଥାନ । ଅନ୍ୟପଟେ ଏହାର ପ୍ରତିଶୋଧ ନେବାକୁ ଆକ୍ସନ ମୋଡ୍ରେ ଭାରତୀୟ ସେନା । ପ୍ରସାରିତ ଖବର ଅନୁଯାୟୀ, ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ଭାରତ ତିନି ସେନାକୁ ଆଲର୍ଟରେ ରଖିଛି । ପାକିସ୍ତାନ ସୀମାରେ ହାଇଆଲର୍ଟରେ ରହିଛନ୍ତି ଭାରତୀୟ ସେନା ବାହିନୀ । ଜଳ, ସ୍ଥଳ, ଆକାଶ ପଥରେ ତିନି ବାହିନୀ ପକ୍ଷରୁ ସମରାଭ୍ୟାସ ମଧ୍ୟ ଜାରି ରହିଛି । ଭାରତର ପ୍ରସ୍ତୁତିକୁ ଦେଖି ପାକିସ୍ତାନ ମଧ୍ୟ ତୟାର ହୋଇଗଲାଣି । ସିଆଲକୋଟରୁ ଆର୍ଟିଲେରି ରେଜିମେଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲାଣି । ପାକିସ୍ତାନର ସେନା ମୁଖ୍ୟାଳୟରେ ଏଫ୍-୧୬ ଲଢୁଆ ବିମାନକୁ ସଜାଗ ରଖାଯାଇଛି । ଆକାଶ ମାର୍ଗରୁ କୌଣସି ପ୍ରକାର ଆକ୍ରମଣର ତ୍ବରିତ ଜବାବ ଦେବାକୁ ଲଢୁଆ ବିମାନ ସଜାଗ ରଖିଲାଣି ପାକିସ୍ତାନ । ଟୋଲିପିର ଏବଂ ରାୱଲକୋଟରେ ସଶସ୍ତ୍ର ବାହିନୀଙ୍କ ଗତିବିଧି ଦେଖିବାକୁ ମିଳିଛି ।
ଇତିମଧ୍ୟରେ ୧ମିନିଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଭାରତୀୟ ସେନାର ଏକ ଗାଡ଼ି ଦୁର୍ଘଟଣା ଗସ୍ତ ହୋଇଥିବାର ଦେଖିବାକୁ ମିଳିଛି । ସେଠାରେ ଆଉ ଏକ କାର୍ ମଧ୍ୟ ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ, କିଛି ବ୍ୟକ୍ତି ସେନାର ଗାଡ଼ିକୁ ଠେଲୁଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ପହଲଗାମ ଆତଙ୍କପରେ ଭାରତୀୟ ସେନା ପାକିସ୍ତାନ ଯାଉଥିବା ସମୟର ବୋଲି ଦାବି ହୋଇଛି । ଏହା ସହ ଉଲ୍ଲେଖ ରହିଛି ଯେ, ଉକ୍ତ ଦୁର୍ଘଟଣାରେ ୬ଜଣ ଶିଖ୍ ସମ୍ପ୍ରଦାୟୀଙ୍କ ମୃତ୍ୟୁ ଘଟିଥିବାର ଜଣାଯାଇଛି ।
ଯାହାର ଆର୍କାଇଭ ଲିଙ୍କ ଏଠାରେ ଉପଲବ୍ଧ ରହିଛି I
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ପହଲଗାମ ଆତଙ୍କ ପରେ କିମ୍ବା ନିକଟରେ ସେନାବାହିନୀର ଏଭଳି କୌଣସି ଗାଡ଼ି ଦୁର୍ଘଟଣା ଗସ୍ତ ହୋଇନାହିଁ ।
ଦୁର୍ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ତଦନ୍ତ କରିବାରୁ କୌଣସି ଗଣମାଧ୍ୟମରେ ଏଭଳିକୌଣସି ଦୁର୍ଘଟଣାର ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇନଥିଲୁ । ଯଦି ଏଭଳି କୌଣସି ଦୁର୍ଘଟଣା ଘଟିଥାନ୍ତା ତେବେ ଯେକୌଣସି ପ୍ରମୁଖ ଗଣମାଧ୍ୟମରେ ଏହା ନିଶ୍ଚିତ ପ୍ରସାରିତ ହୋଇଥାନ୍ତା ।
ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଫେସବୁକ ପୋଷ୍ଟ ହସ୍ତଗତ ହୋଇଥିଲା ।
Kashmiri News Were ନାମକ ଏକ ଫେସବୁକ ପେଜ୍ ୧୬ ଅପ୍ରେଲ ଦିନ ଉକ୍ତ ପୋଷ୍ଟଟି କରିଥିବା ବେଳେ ସେଥିରେ ଉଲ୍ଲେଖ ରହିଛି, The accident was caused by slippery road conditions. The accident resulted in two people suffering serious injuries, while the other two had minor injuries. All four injured individuals were quickly taken to Government Medical College (GMC) Baramulla for treatment. The condition of the two seriously injured individuals is reported to be critical. In the meantime, authorities have initiated a preliminary investigation into the incident. (KB)
ଯାହାର ଓଡ଼ିଆ ଅନୁବାଦ ହେଉଛି, ଖସଡ଼ା ରାସ୍ତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ, ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସରକାରୀ ମେଡିକାଲ କଲେଜ ବାରମୁଲ୍ଲାକୁ ନିଆଯାଇଥିଲା । ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି। ଇତିମଧ୍ୟରେ, କର୍ତ୍ତୃପକ୍ଷ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।
ଉକ୍ତ ପୋଷ୍ଟରେ ପ୍ରସାରିତ ହୋଇଥିବା ଫଟୋରେ ମଧ୍ୟ ଭାଇରାଲ ପୋଷ୍ଟ ପରି ଏକ ଧଳା କାର୍ ଏବଂ ଦୁର୍ଘଟଣା ଗସ୍ତ ସେନାବାହିନୀ ଗାଡ଼ି ଥିବାର ଦେଖିବାକୁ ମିଳିଥିଲା ।
ଅଧିକ ଅନୁସନ୍ଧାନରୁ ୧୭ ଅପ୍ରେଲ ୨୦୨୫ରେ ଅପଲୋଡ଼ ହୋଇଥିବା ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା । Jammu Ladakh Vision ନାମକ ୟୁଟ୍ୟୁବ ଚ୍ୟାନେଲ ଉକ୍ତ ଭିଡିଓ ଅପଲୋଡ଼ କରିଥିବା ବେଳେ ସେଥିରେ ଉଲ୍ଲେଖ ରହିଛି, ସେନା ଗାଡ଼ି ସହ ଏକ କାର୍ ଏବଂ ଏକ ମୋଟର ସାଇକଲ ଦୁର୍ଘଟଣା । ବାରମୁଲ୍ଲା ଅଞ୍ଚଳର ରଫିଆବାଦର ହଡ଼ିଆପୋରାରେ ଦୁର୍ଘଟଣା ଘଟିଥିବା ବେଳେ, ଖସଡ଼ା ରାସ୍ତା ହେତୁ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୪ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ତୁରନ୍ତ ଜିଏମସି ବାରମୁଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉକ୍ତ ଭିଡିଓ ଦୁଇଟିକୁ ତୁଳନା କରିଥିଲୁ ।
ତୁଳନାରୁ ଉଭୟ ଭିଡିଓ ଗୋଟିଏ ସ୍ଥାନ ଏବଂ ଘଟଣାର ବୋଲି ଜଣାପଡିଥିଲା ।
ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ପହଲଗାମ ଘଟଣାର ବହୁ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ଉକ୍ତ ଘଟଣାକୁ ନେଇ ଅପ୍ରେଲ ୧୬ ୨୦୨୫ରେ କଶ୍ମୀର ଗ୍ଲୋରି ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ମଙ୍ଗଳବାର ଦିନ ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲାର ରଫିଆବାଦର ହାଡିପୋରା ଅଞ୍ଚଳର ଡିଗ୍ରୀ କଲେଜ ନିକଟରେ ଏକ କାର, ଏକ ସେନା ଗାଡ଼ି ଏବଂ ଏକ ମୋଟରସାଇକେଲ ସହିତ ସଡ଼କ ଦୁର୍ଘଟଣା ଘଟି ଚାରି ଜଣ ଆହତ ହୋଇଛନ୍ତି ।
ସମାଚାର ଏଜେନ୍ସି କାଶ୍ମୀର ବୁଲେଟିନ ପାଖରେ ଉପଲବ୍ଧ ବିବରଣୀ ଅନୁସାରେ, ଦୁର୍ଘଟଣାଟି ଖସଡ଼ା ରାସ୍ତା ଯୋଗୁଁ ଘଟିଥିଲା । ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତ ଚାରିଜଣଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସରକାରୀ ମେଡିକାଲ କଲେଜ ବାରମୁଲ୍ଲାକୁ ନିଆଯାଇଥିଲା । ସେଥିମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଭିଡିଓଟି ଅନ୍ୟୁନ୍ୟ ୧୭ ଅପ୍ରେଲରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି, ଯାହାକି ପହଲଗାମ ଆତଙ୍କ ଘଟଣାର ପୂର୍ବର ବୋଲି ଜଣାପଡିଛି । ତେଣୁ ଉକ୍ତ ଭିଡିଓର ପହଲଗାମ ଘଟଣା ସହ କୌଣସି ସମ୍ପର୍କ ନାହିଁ । ସେହିପରି ଖସଡ଼ା ରାସ୍ତା ହେତୁ ବାରମୁଲ୍ଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ କାହାରି ମୃତ୍ୟୁ ଘଟିନାହିଁ ।