ଫ୍ୟାକ୍ଟ ଚେକ୍: ଚାରମାଳରୁ ବଡ଼ ଠାକୁର ବଳଭଦ୍ର ତଳକୁ ଖସିପଡ଼ୁଥବା ଭିଡିଓଟି ଗତବର୍ଷ ରଥଯାତ୍ରା ସମୟର ଅଟେ
ଦାବିଟି ବିଭ୍ରାନ୍ତିକର ଅଟେ । ପହଣ୍ଡି ବେଳେ ଚାରମାଳରୁ ବଡ଼ଠାକୁର ବଳଭଦ୍ର ଖସିପଡ଼ୁଥବା ଭିଡିଓଟି ୨୦୨୪ ରଥଯାତ୍ରା ସମୟର ଅଟେ । ଚଳିତ ରଥଯାତ୍ରା ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।

Claim :
ଚାରମାଳରୁ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ରFact :
ଦାବିଟି ବିଭ୍ରାନ୍ତିକର ଅଟେ, ଭାଇରାଲ ହେଉଥିବା ଭିଡିଓଟି ଗତବର୍ଷ ରଥଯାତ୍ରା ସମୟର ଭିଡିଓ
ନୀଳକନ୍ଦରକୁ ବିଜେ କରିଛନ୍ତି ମହାପ୍ରଭୁ । ବଡ ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳାଖେଳା । ବଡଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାବାହୁଙ୍କୁ ରଥବେଦୀରୁ ରତ୍ନବେଦୀକୁ ବାହୁଡି ଯିବାର ଦୃଶ୍ୟ ଦେଖି ଭାବବିହ୍ବଳ ହୋଇଥିଲେ । ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ବେଳେ ଜଗତର ନାଥଙ୍କୁ ଅଟକାଇଥିଲେ ଅଭିମାନିନୀ ମହାଲକ୍ଷ୍ମୀ ସେଥିପାଇଁ ପ୍ରଭୁ ସାଙ୍ଗରେ ନେଇ ଆସିଥିବା ସ୍ଵାଦିଷ୍ଟ ରସଗୋଲା ଦେଇ ମା’ ଙ୍କର ମାନଭଞ୍ଜନ କରି ଶ୍ରୀମନ୍ଦିରକୁ ବିଜେ କରିଥିଲେ । ସେପଟେ ରତ୍ନବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲାଣି ଭକ୍ତଙ୍କ ଗହଳି ଚହଳି । ଘୋଷଯାତ୍ରାର ୧୨ ଦିନର ଲୀଳାଖେଳା ପରେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିଛନ୍ତି । ରଥଯାତ୍ରା, ସୁନାବେଶ ଓ ଅଧରପଣା ସାରି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରିଛନ୍ତି । ଭକ୍ତ ଓ ଭଗବାନ ପରସ୍ପରଙ୍କୁ ଛାଡି ଯିବାକୁ ଚାହୁଁନଥିଲେ। ଆଉ ଜଗନ୍ନାଥଙ୍କ ପହଣ୍ଡି ବେଳେ ପୁରୀରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ଶୁକ୍ରବାର ସନ୍ଧ୍ୟା ଧୂପ ପରେ ଚାରମାଳ ବନ୍ଧାଯାଇ ପହଣ୍ଡି ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସବୁ କାମ ସରିଥିଲା । ଶୃଙ୍ଖଳିତ ଭାବେ ନୀଳାଦ୍ରିବିଜେ କରାଇବାକୁ ସଜାଗ ରହିଥିଲେ ଦଇତାପତି ଓ ଶ୍ରୀମନ୍ଦିରର ପ୍ରଶାସନ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ଶେଷରେ ରତ୍ନବେଦୀ ଅଭିମୁଖେ ବାହୁଡ଼ିଥିଲେ ଜଗତର ନାଥ ଜଗନ୍ନାଥ । ହେଲେ ସିଂହଦ୍ୱାର ନିକଟରେ ମହାପ୍ରଭୁଙ୍କ ବାଟ ଓଗାଳିଥିଲେ ମା’ ମହାଲକ୍ଷ୍ମୀ। ରଥଯାତ୍ରାରେ ମା’ଙ୍କୁ ସାଥୀରେ ନେଇ ଯାଇ ନଥିବାରୁ ଅଭିମାନରେ କାଳିଆ ସାଆନ୍ତେଙ୍କୁ ମନ୍ଦିରରେ ପୁରାଇ ଦେଇନଥିଳଲ। ଏହି ସମୟରେ ମା’ଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ଶ୍ରୀଜଗନ୍ନାଥ । ଘୋଷଯାତ୍ରାର ଏହି ଅନ୍ତିମ ପର୍ବ ଦେଖିବାକୁ ପୁରୀ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ୨୭ ଦିନ ପରେ ଆଜି ରତ୍ନ ସିଂହାସନକୁ ଫେରିଛନ୍ତି ମହାପ୍ରଭୁ । ସେହିପରି ଆଜିଠାରୁ ଶ୍ରୀମନ୍ଦିରରେ ପ୍ରଭୁଙ୍କୁ ମହାପ୍ରସାଦ ଅର୍ପଣ କରାଯିବ। ଆଜି ଅପରାହ୍ନରେ ବାହାରିବ ନୀଳାଚଳ ଅବଢା । ଭକ୍ତମାନେ ୧୩ଦିନ ପରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ବା ନୀଳାଚଳ ଅବଢ଼ାସେବନ କରିବାର ସୁଯୋଗ । ନୀଳାଦ୍ରି ବିଜେ ପରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଅନ୍ନବ୍ୟଞ୍ଜନ ନୀଳାଚଳ ଅବଢ଼ା ଭାବେ ପରିଚିତ ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପହଣ୍ଡି ହୋଇ ବଡ଼ଠାକୁର ବଳଭଦ୍ର ଆସୁଥିବା ବେଳେ ଚାରମାଳ ଉପରେ ଖସିଯାଉଛନ୍ତି ।
ଯାହାର ଲିଙ୍କ ଏଠାରେ ଏବଂ ଏକ ସ୍କ୍ରିନ ସଟ ତଳେ ଉପଲବ୍ଧ ରହିଛି I
ଫ୍ୟାକ୍ଟ ଚେକ୍:
ଦାବିଟି ବିଭ୍ରାନ୍ତିକର ଅଟେ । ପହଣ୍ଡି ବେଳେ ଚାରମାଳରୁ ବଡ଼ଠାକୁର ବଳଭଦ୍ର ଖସିପଡ଼ୁଥବା ଭିଡିଓଟି ୨୦୨୪ ରଥଯାତ୍ରା ସମୟର ଅଟେ । ଚଳିତ ରଥଯାତ୍ରା ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।
ଅଧିକ ତଦନ୍ତ କରିବାକୁଯାଇ ଯେତେବେଳେ ଆମେ ରଥଯାତ୍ରାରେ କାର୍ଯ୍ୟରତ ଜଣେ ସାମ୍ବାଦିକ ଶରତ ବାରିକଙ୍କୁ ଯୋଗାଯୋଗ କରିଥିଲୁ, 'ଏଭଳି କୌଣସି ଅଘଟଣ ପହଣ୍ଡି ସମୟରେ ଘଟିନାହିଁ ବୋଲି ଶରତ ସୂଚନା ଦେଇଥିଲେ । ଯଦି ଏଭଳି କୌଣସି ଅଘଟଣ ଘଟିଥାନ୍ତା ତେବେ ଆମେ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତୁ ବୋଲି କହିଛନ୍ତି ଶରତ ବାରିକ । ସିଏ ଏହାମଧ୍ୟ କହିଛନ୍ତି, ଗତବର୍ଷ ରଥଯାତ୍ରାରେ ଏଭଳି ଅଘଟଣ ଘଟିଥିଲା ଏହି ଭିଡିଓଟି ସେହି ସମୟର ହୋଇଥାଇ ପାରେ ।
ଅଧିକ ତଦନ୍ତ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ ଭିଡିଓଟି ୯ ଜୁଲାଇ ୨୦୨୪ ରେ ଜଣେ ୟୁଜର୍ସ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓର ଶିର୍ଷକ ରହିଛି, ରଥରୁ ଓଲ୍ହାଉଥିବା ବେଳେ ଚାରମାଳ ଉପରେ ମୁହଁମାଡ଼ି ତଳେ ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବା ବେଳେ, ଏହାକୁ ଅନ୍ୟ ଏକ କୋଣରୁ ସୁଟ୍ ହୋଇଥିବା ଜଣାଯାଇଛି ।
ଭିଡିଓକୁ ଭାଇରାଲ ଭିଡିଓ ସହ ତୁଳନା କରିବାରୁ ଉଭୟ ଭିଡିଓ ଗୋଟିଏ ଦିନର ଗୋଟିଏ ଘଟଣାର ବୋଲି ଜାଣିବାକୁ ମିଳିଛି ।
ତେଣୁ ଏହା ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ୨୦୨୪ରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ତେବେ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ସହ ଅନୁସନ୍ଧାନ କରିବାରୁ ଏନଡିଟିଭିରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।
୯ ଜୁଲାଇ ୨୦୨୪ରେ ଉକ୍ତ ଭିଡିଓ ଅପଲୋଡ଼ କରି ଏନଡିଟିଭି ଉଲ୍ଲେଖ କରିଛି, ରଥରୁ ଓଲ୍ହାଉଥିବା ବେଳେ ଚାରମାଳ ଉପରେ ମୁହଁମାଡ଼ି ତଳେ ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର, ୯ ଆହତ ହୋଇଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ଉକ୍ତ ଭିଡିଓକୁ ୯ଲକ୍ଷ ରୁ ଉର୍ଦ୍ଧ୍ବ ଭିୟୁ ମିଳିପାରିଛି ।
ଉକ୍ତ ଘଟଣାକୁ ୧୫ ଜୁଲାଇ ୨୦୨୪ରେ ଏକ ବିସ୍ତୃତ ଖବର ପ୍ରସାରଣ କରି ଓଡ଼ିଶା ଲାଇଭ ଉଲ୍ଲେଖ କରିଛି । ଜୁଲାଇ ୯ ତାରିଖ, ମଙ୍ଗଳବାର ସନ୍ଧ୍ୟା ସମୟରରେ ଘଟିଥିଲା ଏକ ବଡ଼ ଅଘଟଣ। ପହଣ୍ଡି ବେଳେ ଚାରମାଳରୁ ହାମୁଡ଼େଇ ପଡ଼ିଗଲେ ମହାପ୍ରଭୁ ଶ୍ରୀବଳଭଦ୍ର। ଏଥିରେ ୧୦ରୁ ଅଧିକ ସେବାୟତ ଆହତ ହୋଇଥିଲେ। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ସାଙ୍ଗକୁ ସୋସିଆଲ ମିଡିଆରେ ଘୁରି ବୁଲିଲା ଅଘଟଣ ସମୟର ଲାଇଭ୍ କ୍ଲିପ୍।
୧୭ ଜୁଲାଇ ୨୦୨୪ରେ ଖବର ପ୍ରସାରଣ କରି ଇଟିଭି ଉଲ୍ଲେଖ କରିଛି, ରଥଯାତ୍ରା ସମୟରେ ଦେଖାଦେଇଥିବା ବିଭ୍ରାଟ ଉପରେ କାର୍ଯ୍ୟାନୁଷ୍ଠାନ ଦାବି । ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇଲେ ଆଗାମୀ ଦିନରେ ଆହୁରି ଅନେକ ବିଭ୍ରାଟ ଘଟିବ ବୋଲି କହିଲେ ସେବାୟତ ଓ ବୁଦ୍ଧିଜୀବୀ ।
ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିଟି ବିଭ୍ରାନ୍ତିକର ଅଟେ । ପହଣ୍ଡି ବେଳେ ଚାରମାଳରୁ ବଡ଼ଠାକୁର ବଳଭଦ୍ର ଖସିପଡ଼ୁଥବା ଭିଡିଓଟି ୨୦୨୪ ରଥଯାତ୍ରା ସମୟର ଅଟେ । ଚଳିତ ରଥଯାତ୍ରା ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।