ଫ୍ୟାକ୍ଟ ଚେକ୍: ଶ୍ରୀନଗରର ପୁରୁଣା ଭିଡିଓକୁ ପହଲଗାମ ଆକ୍ରମଣ ସହ ଯୋଡ଼ି କରାଯାଇଛି ସେୟାର
ଦାବିରେ ନାହିଁ କୌଣସି ସତ୍ୟତା । ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଉକ୍ତ ଘଟଣାଟି ୨୦୨୨ ମସିହାର ଶ୍ରୀନଗରର ନୌଗାମ ଛକରେ ଘଟିଥିଲା ତେଣୁ ଏହାର ପହଲଗାମ ଆକ୍ରମଣ ସହ କୌଣସି ସମ୍ପୃକ୍ତି ନାହିଁ ।

Claim :
ପହଲଗାମ ଆକ୍ରମଣ ପରେ କାଶ୍ମୀରର ସ୍ଥାନୀୟ ବାସିନ୍ଦା ଏବଂ ଭାରତୀୟ ସେନାବାହିନୀର କିଛି ଯବାନଙ୍କ ସହ ହାତାହାତୀFact :
ଭାଇରାଲ ଭିଡିଓଟି ୨୦୨୨ ମସିହାର ଶ୍ରୀନଗରର ଅଟେ, ପହଲଗାମ ସହ ଏହାର କୌଣସି ସମ୍ପୃକ୍ତି ନାହିଁ
ପହଲଗାମ ଆକ୍ରମଣ ପରେ ସେନାକୁ ମିଳିଛି ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା । ଏନେଇ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ସାହା ବାରମ୍ବାର ବିବୃତି ରଖି ଆସିଛନ୍ତି । ଇତିମଧ୍ୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ପାଇଁ, ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିଲା। ପ୍ରସାରିତ ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ଏବଂ ଏହାର ପ୍ରଭାବ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି, ଯାହା ଜମ୍ମୁ ଏବଂ କାଶ୍ମୀର ଉପରେ ସର୍ବାଧିକ ପ୍ରଭାବ ପକାଇବ। ଏହି ଆତଙ୍କବାଦୀ ଆକ୍ରମଣ ପରେ ଓମର ଅବଦୁଲ୍ଲା ଏକ ଦୃଢ଼ ବାର୍ତ୍ତା ଦେଇ କହିଥିଲେ ଯେ ତାଙ୍କର ରାଜନୀତି ଏତେ ନିମ୍ନ ସ୍ତରରେ ନାହିଁ ଯେ ସେ ଏହି ଦୁଃଖଦ ସମୟରେ ନିଜ ସରକାରଠାରୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରିପାରିବେ ।
ଇତିମଧ୍ୟରେ ଏକ ଭିତରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତିଙ୍କ ସହ ସେନା ଯବାନଙ୍କ ସହ ଯୁକ୍ତିତର୍କ ହେଉଥିବାର ଦେଖାଯାଇଛି । ପରେପରେ ଆଉଜଣେ ଯବାନ ବାଡ଼ିରେ ଉକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବାର ଦେଖା ଯାଇଛି ।
ପହଲଗାମ ଆକ୍ରମଣ ପରେ ସେନାକୁ ସ୍ୱତନ୍ତ୍ରତା ଦିଆଯାଇଥିବା ବେଳେ ଏଭଳି, ଯବାନ ମାନେ ଏଭଳି ଅମାନୁଷିକ କାର୍ଯ୍ୟ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଦାବି କରାଯାଇଛି ।
ଯାହାର ସ୍କ୍ରିନସଟ୍ ତଳେଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ ସତ୍ୟତା, ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଉକ୍ତ ଘଟଣାଟି ୨୦୨୨ ମସିହାର ଶ୍ରୀନଗରର ନୌଗାମ ଛକରେ ଘଟିଥିଲା ତେଣୁ ଏହାର ପହଲଗାମ ଆକ୍ରମଣ ସହ କୌଣସି ସମ୍ପୃକ୍ତି ନାହିଁ ।
ଉକ୍ତ ଭାଇରାଲ ଭିଡିଓକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା । ଭିଡିଓଟି ୨୩ ଅଗଷ୍ଟ ୨୦୨୨ରେ ଜମ୍ମୁ ଲଦାଖ ଭିଜନ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଏହାକୁ ଅପଲୋଡ଼ କରିଥିଲା । ଉକ୍ତ ଭିଡିଓର ଶୀର୍ଷକ ଥିଲା ନୌଗାମ ଛକରେ ଜଣେ ସୈନିକ ଜଣେ ସାଧାରଣ ନାଗରିକଙ୍କୁ ଆକ୍ରମଣ କରିଛି । ସେକ୍ସନ ୩୨୩, ୩୪୧ ଆଇପିସି ଧାରା ଅନୁଯାୟୀ ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିଛି ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଆମେ ଉଭୟ ଭିଡିଓକୁ ତୁଳନା କରିଥିଲୁ ।
ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ସମାନ ଭିଡିଓ ବୋଲି ଜଣାପଡିଥିଲା ।
ସେହିପରି କେବିସି ନ୍ୟୁଜ କାଶ୍ମୀର ମଧ୍ୟ ୨୨ ଅଗଷ୍ଟ ୨୦୨୨ରେ ଉକ୍ତ ଭିଡିଓକୁ ନିଜ ଫେସବୁକ ପେଜ୍ ରେ ସେୟାର କରି ସମାନ ଲେଖା ସହ ସେୟାର କରିଥିଵାର ଦେଖିବାକୁ ମିଳିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୨ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ଚଳିତବର୍ଷ ହୋଇଥିବା ପହଲଗାମ ଆକ୍ରମଣ ସହ ଏହାର କୌଣସି ସମ୍ପର୍କ ନାହିଁ ।
ଭାଇରାଲ ଭିଡିଓର ଅନୁସନ୍ଧାନ କରିବାକୁ ଯାଇ ଆମେ ଉକ୍ତ କିୱାର୍ଡ ଗୁଡିକୁ ନେଇ ସର୍ଚ୍ଚ କରିଥିଲୁ । ଯେଉଁଥିରୁ ଏକ ଡିଜିଟାଲ ମିଡିଆରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।
ଖବର ପ୍ରସାରଣ କରି କାଶ୍ମୀର କନ୍ଭେନର ନାମକ ଏହି ଡିଜିଟାଲ ମିଡ଼ିଆ ଉଲ୍ଲେଖ କରିଛି, ନୌଗାମ ଚୌକ୍ ଶ୍ରୀନଗରରେ "କିଛି ସେନା କର୍ମଚାରୀ ୟୁନିଫର୍ମ ପିନ୍ଧିଥିବା ବେଳେ ଜଣେ ସାଧାରଣ ନାଗରିକକୁ ବାଡ଼ିରେ ପିଟିଥିବାରୁ" ପୋଲିସ୍ ସ୍ବେଚ୍ଛାକୃତ ଭାବେ ଏକ ମାମଲା ରୁଜୁ କରିଛି ।
ଆଜି ଅପରାହ୍ନରେ ଏକ ଘଟଣା ନଜରକୁ ଆସିଛି ଯେଉଁଥିରେ କିଛି ସେନା କର୍ମଚାରୀ ନୌଗାମ ଚୌକରେ ଜଣେ ସାଧାରଣ ନାଗରିକଙ୍କୁ ମାଡ଼ ମାରିଥିବା ବେଳେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ମଧ୍ୟ ସାମାନ୍ୟ ଝଗଡ଼ାରେ ଲିପ୍ତ ହୋଇଥିବା ଜଣାପଡ଼ିଛି ।
ଏହି ସୂଚନା ପାଇବା ପରେ, ଘଟଣାର ତଦନ୍ତ କରି ନୌଗାମ ପୋଲିସ ଷ୍ଟେସନରେ ଆଇପିସିର ଧାରା ୩୨୩ (ସ୍ୱେଚ୍ଛାକୃତ ଭାବରେ ଆଘାତ ପହଞ୍ଚାଇବା), ୩୪୧ (ଭୁଲ ଭାବରେ ପ୍ରତିରୋଧ ପାଇଁ ଦଣ୍ଡ) ଅନୁଯାୟୀ ଏଫଆଇଆର ନମ୍ବର ୧୧୬/୨୦୨୨ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା ।
ସୋସିଆଲ ମିଡିଆରେ ଭିଡିଓ ପ୍ରସାରିତ ହେବା ପରେ ପୋଲିସ ସଂକ୍ଷିପ୍ତ ବିବୃତ୍ତି ଦେଇଥିଲା, ଯାହା ନ୍ୟାସନାଲ କନଫରେନ୍ସ ନେତାଙ୍କ ସମେତ ଅନେକ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରସାରିତ ହୋଇଥିଲା, ଯେଉଁମାନେ କହିଥିଲେ: "ସେନାର ଏପରି ଆଚରଣ ଅତ୍ୟନ୍ତ ନିନ୍ଦନୀୟ" ।
ଭିଡିଓରେ କିଛି ସେନା କର୍ମଚାରୀଙ୍କୁ ଏକ ମାଲବାହୀ ଟ୍ରକ ଡ୍ରାଇଭରଙ୍କ ସହ ଝଗଡ଼ା କରୁଥିବା ଦେଖାଯାଉଛି ଏବଂ ହଠାତ୍ ଜଣେ ସେନା କର୍ମଚାରୀ ଘଟଣାସ୍ଥଳକୁ ଦୌଡ଼ି ଆସି ଜଣେ ବ୍ୟକ୍ତିଙ୍କ ବେକ ପାଖରେ ଜୋରଜବରଦସ୍ତ ଦୁଇଟି ଆଘାତ କରିଛନ୍ତି ବୋଲି, ଉକ୍ତ ଖବରରେ ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଛି ।
ଖବର ପ୍ରସାରଣରେ ଯେଉଁ ଫଟୋ ବ୍ୟବହାର ହୋଇଛି ସେହି ଫଟୋଟି ମଧ୍ୟ ଭାଇରାଲ ଭିଡିଓର ଏକ ଅଂଶ ବୋଲି ଦେଖିବାକୁ ମିଳିଛି, ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସେହିପରି ୨୨ ଅଗଷ୍ଟ ୨୦୨୨ରେ ଏହି ଭିଡିଓକୁ ସେୟାର କରି ଜଣେ ବରିଷ୍ଠ ସାମ୍ବାଦିକ ଉଲ୍ଲେଖ କରିଛନ୍ତି, ଶ୍ରୀନଗରର ନୌଗାମ ଅଞ୍ଚଳରେ ସେନାର ଯବାନମାନେ ସାଧାରଣ ଲୋକଙ୍କୁ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଜମ୍ମୁ-କାଶ୍ମୀର ପୋଲିସ ଏଫଆଇଆର ରୁଜୁ କରିଛି। "ଏହି ସୂଚନା ପାଇବା ପରେ, ଘଟଣାର ତଦନ୍ତ କରାଯାଇଥିଲା ଏବଂ ନୌଗାମ ପିଏସରେ ଆଇପିସିର ଧାରା ୩୨୩,୩୪୧ ଅନୁଯାୟୀ ଏଫଆଇଆର ନମ୍ବର ୧୧୬/୨୦୨୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା ।
ତେବେ ଉକ୍ତ ଘଟଣାଟି ଡେକାନ ହର୍ଲାଡ଼, ଦ ଆଇଏନଏସ ଏବଂ ଜି ନ୍ୟୁଜ ଭଳି କିଛି ଗଣମାଧ୍ୟମ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଉକ୍ତ ଘଟଣାଟି ୨୦୨୨ ମସିହାର ଶ୍ରୀନଗରର ନୌଗାମ ଛକରେ ଘଟିଥିଲା ତେଣୁ ଏହାର ପହଲଗାମ ଆକ୍ରମଣ ସହ କୌଣସି ସମ୍ପୃକ୍ତି ନାହିଁ ।