ଫ୍ୟାକ୍ଟ ଚେକ୍: ଅଦାନୀଙ୍କ ପାଇଁ ମହାପ୍ରଭୁଙ୍କ ରଥ ଅଟକିବା ଆରୋପ ଲଗାଇ, ଉକ୍ତ ଘଟଣାକୁ ଏକ ଡ୍ରାମା ବୋଲି କହିଛନ୍ତି ରାହୁଲ ଗାନ୍ଧୀ
ଦାବିଟି ବିଭ୍ରାନ୍ତିକର ଅଟେ । ସାଂସଦ ରାହୁଲ ଗାନ୍ଧୀ, ରଥଯାତ୍ରାକୁ ନୁହେଁ ବରଂ ସରକାର ଅଦାନୀଙ୍କ ପାଇଁ ରଥ ଅଟକାଇବା ଆରୋପ ଲଗାଇ ଉକ୍ତ ଘଟଣାକୁ ଡ୍ରାମା ବୋଲି କହିଛନ୍ତି ।

Claim :
ରଥଯାତ୍ରା କୁ ଡ୍ରାମା କହିଲେ ରାହୁଲ ଗାନ୍ଧୀFact :
ପ୍ରକୃତ ଭିଡିଓରେ ଅଦାନୀଙ୍କୁ ତାତ୍ସଲ୍ୟ କରି ରାହୁଲ କହିଛନ୍ତି, ରଥକୁ ଅଦାନୀଙ୍କ ପାଇଁ ଅଟକା ଯାଇଛି
କଂଗ୍ରେସ ଫୋକସରେ ଓଡ଼ିଶା । ରାଜ୍ୟ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାହୁଲ କହିଛନ୍ତି, ଓଡ଼ିଶା ସରକାରଙ୍କ କାମ ଓଡ଼ିଶାର ଧନ ଗରିବ ଲୋକଙ୍କଠାରୁ ଚୋରି କରିବା । ପ୍ରଥମେ ବିଜେଡି ଏହି କାମ କରୁଥିଲା ଆଉ ଏବେ ବିଜେପି ଏହି କାମ କରୁଛି । ଓଡିଶାର ଗରିବ ଲୋକ, ଦଳିତ, ଚାଷୀ, ମଜୁରିଆ ଗୋଟିଏ ଅନ୍ୟପଟେ ୫ରୁ ୬ ଜଣ ଆରବପତି, ବିଜେପି ସରକାର, ଏମାନଙ୍କ ଭିତରେ ଲଢେଇ ହେଉଛି । ଆଉ କଂଗ୍ରେସ ଓଡ଼ିଶା ଜନତାଙ୍କ ସହ ମିଶି ଏହି ଲଢେଇ ଜିତିବ । ବିଜେପି ପୂରା ଦେଶରେ ସମ୍ୱିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ର ଭଳି ବିାହରରେ ନିର୍ବାଚନ ଚୋରି କରିବାକୁ ପ୍ରୟାସ କରାଯାଉଛି । ଆଉ ଏଥିପାଇଁ ନିର୍ବାଚନ କମିସନ ନୂଆ ଷଡଯନ୍ତ୍ର ରଚିଛନ୍ତି । ନିଜ କାମ ଛାଡି଼ ସେ ବିଜେପି କାମ କରୁଛନ୍ତି ବୋଲି କହିଛନ୍ତି ରାହୁଲ ।
ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ରାହୁଲ କହୁଛନ୍ତି ଯେବେ ଓଡ଼ିଶାରେ ଜଗନ୍ନାଥଙ୍କ ଯାତ୍ରା ଆରମ୍ଭ ହୁଏ ଲକ୍ଷାଧିକ ଭକ୍ତ ଉକ୍ତ ଯାତ୍ରାକୁ ଦେଖନ୍ତି ଏବଂ ଏହି ଯାତ୍ରାରେ ସାମିଲ ହୁଅନ୍ତି । ଆଉ ପୁଣି ଏକ ଡ୍ରାମା ହୁଏ ।
ଉକ୍ତ ଭିଡିଓ ସେୟାର କରି ୟୁଜର୍ସ ଦାବି କରିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଡ୍ରାମା କହିଛନ୍ତି ରାହୁଲ । ସେହିପରି ଉକ୍ତ ଭିଡିଓରେ ଲେଖା ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଡ୍ରାମା କହିଛନ୍ତି ରାହୁଲ ।
ଯାହାର ଲିଙ୍କ ଏଠାରେ ଏବଂ ଏକ ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରକୃତ ଭିଡିଓରେ ଅଦାନୀଙ୍କୁ ତାତ୍ସଲ୍ୟ କରି ରାହୁଲ କହିଛନ୍ତି, ରଥକୁ ଅଦାନୀଙ୍କ ପାଇଁ ଅଟକା ଯାଇଛି ।ଯାହାକୁ ଏଡିଟ୍ କରି ଭାଇରାଲ କରାଯାଇଛି ।
ଭିଡିଓର ସତ୍ୟତା ଜାଣିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ଏକ ଟ୍ୱିଟର ପୋଷ୍ଟ ହସ୍ତଗତ ହୋଇଥିଲା,ଯେଉଁଥିରେ ଏକ ଭିଡିଓ ଥିବାର ଦେଖିବାକୁ ମିଳିଥିଲା ।
୧୧ ଜୁଲାଇ ୨୦୨୫ରେ ଉକ୍ତ ଭିଡିଓଟି ସାଂସଦ ରାହୁଲ ଗାନ୍ଧୀଙ୍କ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓ ସେୟାର କରି ରାହୁଲ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ସରକାର ଅଦାନୀ ଚଳାଉଛି, ନରେନ୍ଦ୍ର ମୋଦିଜୀଙ୍କୁ ଅଦାନୀ ଚଳାଉଛି । ଉକ୍ତ ଭିଡିଓଟି ୨ ଲକ୍ଷରୁ ଅଧିକ ଭିୟୁ ମିଳିପାରିଥିବାର ଦେଖିବାକୁ ମିଳିଛି ।
ଭିଡିଓରେ ରାହୁଲ କହିଛନ୍ତି, ଓଡ଼ିଆ ହେଉ କି ଛତିଶଗଡ଼ ଗୋଟିଏ ନାଁ ଶୁଣିବାକୁ ମିଳେ, ଅଦାନୀ... ଅଦାନୀ... ଅଦାନୀ । ଓଡ଼ିଶାର ସରକାର ଅଦାନୀ ଚଳାଉଛି, ନରେନ୍ଦ୍ର ମୋଦିଜୀଙ୍କୁ ଅଦାନୀ ଚଳାଉଛି । ଆଉ ଯେବେ ଓଡ଼ିଶାରେ ଜଗନ୍ନାଥଙ୍କ ଯାତ୍ରା ଆରମ୍ଭ ହୋଇଥାଏ ଲକ୍ଷାଧିକ ଲୋକେ ତାହାକୁ ଦେଖିଥାନ୍ତି ତା ପଛେ ପଛେ ଯାଇଥାନ୍ତି । ପୁଣି ଏକ ଡ୍ରାମା ହୁଏ ରଥକୁ ଅଦାନୀଜି ଏବଂ ତାଙ୍କ ପରିବାର ପାଇଁ ଅଟକା ଯାଇଥାଏ ।
ରାହୁଲ ଏହା ମଧ୍ୟ କହିଛନ୍ତି, ଏଇଥିରୁ ଓଡ଼ିଶା ସରକାରଙ୍କ ବିଷୟରେ ସବୁକିଛି ବୁଝା ପଡ଼ିଯାଉଥିବ । ଏହା ଓଡ଼ିଶାର ସରକାର ନୁହେଁ ଏହା ଆପଣଙ୍କ ସରକାର ନୁହେଁ, ୟେ ଅଦାନୀ ପରି ୫ ୬ ଅରବପତିଙ୍କ ସରକାର ଅଟେ । ଆଉ ଏହାର ଲକ୍ଷ ଆପଣଙ୍କ ଜମି ଆପଣଙ୍କ ଜଙ୍ଗଲ ଆପଣଙ୍କ ଭବିଷ୍ୟତ ଚୋରି କରିବାର ଅଟେ ।
ତେବେ ଭାଇରାଲ ଭିଡିଓର କିଛି ମାତ୍ରାରେ ଅଧିକ ସମୟ ସାରଣୀ ଥିବାର ଉକ୍ତ ଭିଡିଓ ଦେଖି ଜଣାଯାଉଛି ଯେ, ସାଂସଦ ରାହୁଲ ଗାନ୍ଧୀ ଅଦାନୀଙ୍କ ପାଇଁ ରଥ ଅଟକା ଯାଇଥିବାର ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଉକ୍ତ ଭିଡିଓକୁ ନେଇ ଅଧିକ ତଦନ୍ତ କରିବାକୁ ଯାଇ ଆମେ ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁବ ଚ୍ୟାନେଲ ଦେଖିଥିଲୁ ।
ଉକ୍ତ ଚ୍ୟାନେଲରେ ଏକ ଲାଇଭ ଭିଡିଓ ଅପଲୋଡ଼ ହୋଇଛି, ଯାହାକି ୧୧ ଜୁଲାଇ ରେ ଓଡ଼ିଶଗସ୍ତ ସମୟର ବୋଲି ଉଲ୍ଲେଖ ରହିଛି ।
ଭିଡିଓର ୨୪ ମିନିଟ ସମୟରେ ରାହୁଲ ଓଡ଼ିଶାରେ ଚାଷୀଙ୍କ ଅସୁବିଧା ନେଇ ସରକାରଙ୍କୁ ଟାର୍ଗେଟ କରିଥିଵାର ଦେଖିବାକୁ ମିଳିଛି । ସେବେହା ମଧ୍ୟ କହିଛନ୍ତି ସମ୍ବିଧାନ ରେ କୌଣସି ପୃଷ୍ଠାରେ ଉଲ୍ଲେଖ ହୋଇନାହିଁ କି ଏହି ଦେଶ ଅମ୍ବାନୀ , ଅଦାନୀ କି ଅନ୍ୟ କୌଣସି ଅରବପତିଙ୍କର ଅଟେ । ସମ୍ବିଧାନ କୁ ତନଖି ଦେଖିଲେ ଆପଣ ଜାଣିପାରିବେ ଏହି ଦେଶ କୌଣସି ଗୋଟିଏ ଅରବପତିଙ୍କର ନୁହେଁ ଏହି ଦେଶ ସାଧାରଣ ନାଗରିକଙ୍କର ଅଟେ ।
ଭିଡିଓର ୨୫ ମିନିଟ ୩୦ ସେକେଣ୍ଡ ସମୟ ସାରଣୀରେ ରାହୁଲ ଅଦାନୀ ଅମ୍ବାନୀ କଥା କହିଛନ୍ତି । ଯାହା ଟ୍ୱିଟର ପୋଷ୍ଟରେ ଥିବା ଭିଡିଓ ମୂଳ ଅଂଶ ବୋଲି ଦେଖିବାକୁ ମିଳିଛି ।
୨୬ ମିନିଟ ୬ ସେକେଣ୍ଡରେ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ମିଳିଛି । ଯେଉଁଥିରେ ସିଏ ଉଲ୍ଲେଖ କରିଛନ୍ତି, ଯେବେ ଓଡ଼ିଶାରେ ଜଗନ୍ନାଥଙ୍କ ଯାତ୍ରା ଆରମ୍ଭ ହୋଇଥାଏ, ଆପଣ ଭାବନ୍ତୁ ରଥ ବାହାରିଥାଏ, ଜଗନ୍ନାଥଙ୍କ ରଥ ବାହାରିଥାଏ । ଲକ୍ଷାଧିକ ଲୋକେ ତାହାକୁ ଦେଖିଥାନ୍ତି ତା ପଛେ ପଛେ ଯାଇଥାନ୍ତି । ପୁଣି ଏକ ଡ୍ରାମା ହୁଏ ରଥକୁ ଅଦାନୀଜି ଏବଂ ତାଙ୍କ ପରିବାର ପାଇଁ ଅଟକା ଯାଇଥାଏ । ଏଇଥିରୁ ଓଡ଼ିଶା ସରକାରଙ୍କ ବିଷୟରେ ସବୁକିଛି ବୁଝା ପଡ଼ିଯାଉଥିବ । ଏହା ଓଡ଼ିଶାର ସରକାର ନୁହେଁ ଏହା ଆପଣଙ୍କ ସରକାର ନୁହେଁ, ୟେ ଅଦାନୀ ପରି ୫ ୬ ଅରବପତିଙ୍କ ସରକାର ଅଟେ । ଆଉ ଏହାର ଲକ୍ଷ ଆପଣଙ୍କ ଜମି ଆପଣଙ୍କ ଜଙ୍ଗଲ ଆପଣଙ୍କ ଭବିଷ୍ୟତ ଚୋରି କରିବାର ଅଟେ ।
ପରେପରେ ରାହୁଲ ଯୁବଙ୍କ ରୋଜଗାର ନେଇ ସରକାରଙ୍କୁ ଟାର୍ଗେଟ କରିଥିଵାର ଭିଡିଓରେ ଦେଖିବାକୁ ମିଳିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ରାହୁଲ ରଥଯାତ୍ରାରେ ଅଦାନୀଙ୍କ ପାଇଁ ସରକାର ରଥ ଅଟକାଇବା ଆରୋପ ଲଗାଇ ଏହାକୁ ଏକ ଡ୍ରାମା ରଚାଯାଉଥିବାର କହିଛନ୍ତି ।
ଅନ୍ୟପଟେ ଉକ୍ତ ଆରୋପକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥବୀ ରାଜ ହରିଚନ୍ଦନ । ସିଏ କହିଛନ୍ତି, ରାହୁଲ ଗାନ୍ଧି ଅବାନ୍ତର କଥା କହିଛନ୍ତି । ଅଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ । ବଦଳଭଦ୍ରଙ୍କ ରଥ ମୋଡ଼ ନେବା କାରଣରୁ ରଥଟଣା ବିଳମ୍ବ ହେଲା ବୋଲି ଆଇନ ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।
କଂଗ୍ରେସ ନେତା ତଥା, ପିସିସି ମିଡିଆ ବିଭାଗ ଉପାଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ ଉକ୍ତ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଆଇଟି ସେଲ୍ ଓ ତାଙ୍କ ଟ୍ରୋଲର୍ ମାନେ ମିଥ୍ୟା ସମ୍ବାଦ ପ୍ରସ୍ତୁତି ଓ ପ୍ରସାରରେ ପ୍ରସିଦ୍ଧି ହାସଲ କରିଛନ୍ତି, ଏହା ସର୍ବ ବିଦିତ। ଏହି ନିର୍ଦ୍ଦିଷ୍ଟ ଭିଡିଓ କ୍ଷେତ୍ରରେ ମଧ୍ୟ ତାହା କରିବାକୁ ଅପଚେଷ୍ଟା କରାଯାଇଛି। ସମ୍ପୂର୍ଣ୍ଣ ଭିଡିଓ କଂଗ୍ରେସର ସମସ୍ତ ଅଫିସିଆଲ୍ ପେଜ୍ ରେ ଉପଲବ୍ଧ, ସତ୍ୟାସତ୍ୟ ମହଜୁଦ ଅଛି। ନନ୍ଦିଘୋଷ ରଥ କାହିଁକି ଗଡି ପାରିଲା ନାହିଁ, ସେ ନେଇ ସମସ୍ତଙ୍କ ମନରେ ସନ୍ଦେହ ଅଛି ଓ ତାହା ଆଦାନୀ ଆସିବା ପାଇଁ ଜାଣିଶୁଣି କରାଯାଇଛି ବୋଲି ଲୋକଙ୍କ ସନ୍ଦେହକୁ ରାହୁଲ୍ ଗାନ୍ଧୀ କେବଳ ଦୋହରାଇ ଥିଲେ । ମାତ୍ର ଲୋକଙ୍କୁ ଜାଣିଶୁଣି ଭ୍ରମିତ କରିବା ଉଦ୍ଦେଶ୍ୟରେ ବିଜେପି ଏମିତି ଅପପ୍ରଚାର କରିଛି। ଏହା ଆଦୌ ଗ୍ରହଣୀୟ କିମ୍ଵା ସ୍ପୃହଣୀୟ ନୁହେଁ ବୋଲି କହିଛନ୍ତି ଶ୍ରୀ ଅମୀୟ ପାଣ୍ଡବ ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ସାଂସଦ ରାହୁଲ ଗାନ୍ଧୀ, ରଥଯାତ୍ରାକୁ ନୁହେଁ ବରଂ ସରକାର ଅଦାନୀଙ୍କ ପାଇଁ ରଥ ଅଟକାଇବା ଆରୋପ ଲଗାଇ ଉକ୍ତ ଘଟଣାକୁ ଡ୍ରାମା ବୋଲି କହିଛନ୍ତି ।