ଫ୍ୟାକ୍ଟ ଚେକ୍: ହନୁମାନଙ୍କ ଆଳତି କରୁଥିବା ହାଇଦ୍ରାବାଦ ସାଂସଦଙ୍କ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ

Claim :
ହନୁମାନଙ୍କ ଆଳତି କରୁଛନ୍ତି, ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀFact :
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ
ଭାଇରାଲ ହେଉଛି ଭିଡିଓ ସୋସିଆଲ ମିଡିଆ ସାଜିଛି ବାହକ । ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନାକିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। କେତେବେଳେ ପର୍ବତ ଉପରେ ପଦ୍ମ ଫୁଟିଥିବାର ଦେଖିବାକୁ ମିଳିଛି ତ କେତେବେଳେ ଅଜଣା ଜନ୍ତୁ କିମ୍ବା ଏଲିଅନ ପୃଥିବୀରେ ବୁଲୁଥିବାର ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ସ୍ଵାର୍ଥ ସାଧନ ଏବଂ ଦଳ ଏବଂ ନେତାଙ୍କୁ ବଦନାମ କରିବାକୁ ଯାଇ ବିଭିନ୍ନ ଅଶାଳୀନ ଫଟୋରେ ବିଭିନ୍ନ ରାଜନେତାଙ୍କ ମୁହଁ ଲଗାଇ ବିଭିନ୍ନ ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି ।
ବିହାର ନିର୍ବାଚନ ପୂର୍ବରୁ ଏଭଳି ଏଆଇ ଭିଡିଓକୁ ନେଇ ହଙ୍ଗାମା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭିଡିଓ ଭାଇରାଲ ହେବା ପରେ କଂଗ୍ରେସକୁ ଘେରିଥିଲା ଭାରତୀୟ ଜନତା ପାର୍ଟି । ସୂଚନାଥାଉ କି, ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ତାଙ୍କୁ କହୁଥିବା କଥାଗୁଡ଼ିକୁ ନେଇ ବିବାଦ ଆରମ୍ଭ ହୋଇଛି । ପୂର୍ବରୁ କଂଗ୍ରେସର 'ଭୋଟର ଅଧିକାର ଯାତ୍ରା' ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା ଘଟଣା ଶିରୋନାମାରେ ଥିଲା ବୋଲି ଅଭିଯୋଗ ଆଣିଥିଲେ ଭାରତୀୟ ଜନତା ପାର୍ଟି ନେତା ।
ଅଧିକ ଲାଇକ କମେଣ୍ଟ ଆଶାରେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ନପରଖି ସେୟାର କରିବାରେ ଲାଗିଛନ୍ତି । ତେଣୁ ବହୁଳ ମାତ୍ରାରେ ଭୁଲ୍ ସୂଚନା ବ୍ୟପିବାରେ ଲାଗିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀ ଏକ ମନ୍ଦିରରେ ହନୁମାନଙ୍କ ଆଳତି କରୁଥିବାର ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଭିଡିଓ ସେୟାର କରି ୟୁଜର୍ସ ଓୱେସୀଙ୍କୁ ତାତ୍ସଲ୍ୟ କରୁଥିବାର ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି, "ଯିଏ ଓୱେସୀଙ୍କୁ ହନୁମାନ ଚାଳିସା ପଢେଇଦେବେ ସିଏ ହେଉଛନ୍ତି ମୋଦି" ।
ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ହନୁମାନଙ୍କ ଆଳତି କରୁଥିବା ହାଇଦ୍ରାବାଦ ସାଂସଦଙ୍କ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।
ଭାଇରାଲ ଭିଡିଓର ତଦନ୍ତ କରିବାକୁ ଯାଇ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ହେଲେ କୌଣସି ପ୍ରମୂଖ ସୂତ୍ରରୁ ଏହି ଭିଡିଓ ଅପଲୋଡ ହୋଇଥିବାର ଦେଖିବାକୁ ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।
ସେହିପରି ଭାଇରାଲ ଭିଡିଓକୁ ଅନୁଧ୍ୟାନ କରିବାରୁ ଭିଡିଓର ଏକ ପାର୍ଶ୍ଵରେ ହନୁମାନ ମନ୍ଦିର ବଦଳରେ ହନୁମାନ ମିଟର ଲେଖାଯାଇଛି ।
ସେହିପରି ଭିଡିଓର ଏକ କୋଣରେ ଗୁଗୁଲ ଜେମିନିର ଲୋଗୋ ଥିବାର ଦେଖିବାକୁ ମିଳିଛି । ଯାହାକୁ ଦେଖି ଅନୁମାନ କରାଯାଇପାରେ ଯେ, ଉକ୍ତ ଭିଡିଓଟି ଗୁଗୁଲ ଜେମିନି ଦ୍ୱାରା ନିର୍ମିତ ହୋଇଥାଇପାରେ ।
ଅଧିକ ତଦନ୍ତ କରିବାକୁ ଯାଇ ଭିଡିଓର ଏକ ସ୍ଥିର ଅଂଶକୁ ନେଇ ଏଆଇ ଡିଟେକ୍ସନ ଟୁଲ୍ ସାଇଟ ଇଞ୍ଜିନରେ ପରୀକ୍ଷା କରିଥିଲୁ । ଉକ୍ତ ପରୀକ୍ଷାରେ ଭିଡିଓଟି ୯୯% ଏଆଇ ଦ୍ୱାରା ନିର୍ମିତ ବୋଲି ସୂଚନା ରିପୋର୍ଟ ପ୍ରକାଶ ପାଇଥିଲା ।
ସୂଚନା ଥାଉକି ପୂର୍ବରୁ ସୋସିଆଲ ମିଡିଆରେ ଅସଦୁଦ୍ଦିନ୍ ଓୱେସୀ ଏକ ଜନସଭାରେ ଶିବ ତାଣ୍ଡବ ଗାଉଥିବାର ଦାବି ସହ ଏକ ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା । ଯାହାକୁ ତେଲୁଗୁପୋଷ୍ଟ ଫ୍ୟାକ୍ଟଚେକ୍ କରିବାରୁ ଏହା ଏକ ଫେକ୍ ଭିଡିଓ ବୋଲି ପ୍ରମାଣିତ ହୋଇଥିଲା ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ହନୁମାନଙ୍କ ଆଳତି କରୁଥିବା ହାଇଦ୍ରାବାଦ ସାଂସଦ ତଥା ଏଆଇଏନଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।

