ଫ୍ୟାକ୍ଟ ଚେକ୍: ଜାତୀୟ ସଙ୍ଗୀତକୁ ଅଵମାନନା କରିନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଭାଇରାଲ ଭିଡିଓରେ ନାହିଁ ସତ୍ୟତା

Claim :
ଜାତୀୟ ସଙ୍ଗୀତକୁ ଅଵମାନନା କଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀFact :
ଦାବିରେ ନାହିଁ କୌଣସି ସତ୍ୟତା, ଭିଡିଓରୁ ଅଡିଓକୁ ଏଡିଟ କରି ଭାଇରାଲ କରାଯାଇଛି ।
ଏସ୍ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)କୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାସ୍ତାକୁ ଓହ୍ଲାଇଛନ୍ତି। ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ଏସ୍ଆଇଆରକୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନ ଦ୍ବାରା ଏକ ନିରବ ଅଦୃଶ୍ୟ ରିଗିଂ ବୋଲି କହିଛି। ପ୍ରସାରିତ ଖବର ଅନୁଯାୟୀ ଏସ୍ଆଇଆର୍କୁ ବିରୋଧ କରି ମମତା ରେଡ୍ ରୋଡ୍ର ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରୁ ପ୍ରାୟ ୩.୮ କିମି ପଦଯାତ୍ରା କରିଛନ୍ତି । ଏହି ଯାତ୍ରା ରବିନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଗୃହ ଯୋଡ଼ାସାଙ୍କୋ ଠାକୁର ବାଡ଼ି ନିକଟରେ ଶେଷ ହୋଇଛି । ବିଜେପି ଉପରେ ତୀବ୍ର ଆକ୍ରମଣ କରି ମମତା କହିଛନ୍ତି, ‘ଅନେକ ଅସଂଗଠିତ କ୍ଷେତ୍ରର କର୍ମଚାରୀ ସେମାନଙ୍କ ନାମ ତାଲିକାରୁ ବାଦ୍ ପଡ଼ିଯିବ ବୋଲି ଆଶଙ୍କା କରି ଭୟଭୀତ ହୋଇପଡ଼ିଛନ୍ତି। ଯିଏ ବଙ୍ଗଳାରେ କଥା ହେଉଛି ସେମାନଙ୍କୁ ବାଂଲାଦେଶୀ ବୋଲି ଚିହ୍ନିତ କରାଯାଉଛି ବୋଲି ମମତା ଅଭିଯୋଗ କରିଛନ୍ତି । ବିଜେପି ନେତାମାନେ ସ୍ବାଧୀନତାର ମହତ୍ବ ଜାଣିନାହାନ୍ତି ବୋଲି ଦର୍ଶାଇ ସେ କହିଛନ୍ତି, ସେମାନେ ଜାଣନ୍ତି ନାହିଁ ଯେ ସ୍ୱାଧୀନତା ପୂର୍ବରୁ ଭାରତ, ବାଂଲାଦେଶ ଏବଂ ପାକିସ୍ତାନ ଗୋଟିଏ ଭୂମିର ଅଂଶ ଥିଲା। ବିଜେପି ଏହି ବାସ୍ତବତାକୁ ବୁଝିବାକୁ ଚାହୁନାହିଁ ଏବେ ପଶ୍ଚିମବଙ୍ଗରେ ସେମାନେ କ୍ଷମତାକୁ ଆସିପାରିବେ ନାହିଁ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ପଦଯାତ୍ରାକୁ ଏକ ସମ୍ବିଧାନ ବିରୋଧୀ କାର୍ଯ୍ୟକ୍ରମ ବୋଲି କହିଛନ୍ତି।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚ ଉପରେ ଉପସ୍ଥିତ ଥିବାର ଦେଖାଯାଉଛି । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମଞ୍ଚରୁ ତଳକୁ ଓଲ୍ହାଇ ଆସୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ଜାତୀୟ ସଙ୍ଗୀତ ଗାନ ହେଉଥିବାର ମଧ୍ୟ ଶୁଣିବାକୁ ମିଳିଛି ।
ଜାତୀୟ ସଙ୍ଗୀତ ଗାନ ସମୟରେ ସମସ୍ତ ଠିଆ ହୋଇଥିବା ବେଳେ ଅଧାରୁ ମୁଖ୍ୟମନ୍ତ୍ରୀ ମଞ୍ଚଛାଡି ଆସୁଥିବାର ଦାବି କରିଛନ୍ତି ୟୁଜର୍ସ । ଜାତୀୟ ସଙ୍ଗୀତକୁ ଅଵମାନ କଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବୋଲି ଲେଖିଛନ୍ତି ୟୁଜର୍ସ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ଦଳକୁମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ୟୁଜର୍ସ ।
ଯାହାର ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓ ଟିକୁ ଏଡିଟ କରି ଭାଇରାଲ କରାଯାଇଛି ।
ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରିବାରୁ ଏଭଳିକୌଣସି ଘଟଣା ଘଟିଥିବାର ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ନିକଟରେ ଘଟିଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଗଣମାଧ୍ୟମ ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ ।
ଭାଇରାଲ୍ ଭିଡିଓଟିକୁ ଭଲ ଭାବରେ ଦେଖିଲେ ମଞ୍ଚ ପଛରେ ଥିବା ଡିଜିଟାଲ୍ ସ୍କ୍ରିନରେ ବଙ୍ଗଳାରେ କିଛି ଲେଖା ଦେଖିବାକୁ ମିଳିଥିଲା । ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ପଢ଼ାଯାଏ ଯେ, "ମାନ୍ୟବର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀ ଇଣ୍ଡୋର ଷ୍ଟାଡିୟମରୁ ନୂତନ ଆବେଦନକାରୀଙ୍କ ପାଇଁ ବିଧବା ଭତ୍ତା ସମ୍ପର୍କରେ ସୂଚନା ଘୋଷଣା କରିବେ । ତାରିଖ: ୨୩ ମାର୍ଚ୍ଚ, ୨୦୨୨, ସମୟ: ୨ଟା । ଏଥିରୁ ଜଣାଯାଏ ଯେ ଭାଇରାଲ ଭିଡିଓଟି ୨୦୨୨ ମସିହାର ଅଟେ ।
ସେହିପରି ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଲାଇଭ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
୨୩ ମାର୍ଚ୍ଚ ୨୦୨୨ରେ ଏକ ଲାଇଭ ଭିଡିଓ ଅପଲୋଡ଼ କରିଛି ଇଟିଭି ଭାରତ ୱେଷ୍ଟ ବେଙ୍ଗଲ । ଯେଉଁଥିରେ ଉଲ୍ଲେଖ ରହିଛି ମମତା ବାନାର୍ଜୀଙ୍କ ଦ୍ଵାରା ବିଧବା ଭତ୍ତା କାର୍ଯ୍ୟକ୍ରମ ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ।
ଉକ୍ତ ଲାଇଭ ଭିଡିଓର ୧୨ ମିନିଟ ସମୟରେ ଜାତୀୟ ସଙ୍ଗୀତ କୁ ପୋଲିସ ବ୍ୟାଣ୍ଡ ଦ୍ୱାରା ଗାନ କରାଯିବାର ସୂଚନା ପ୍ରଦାନ କରାଯାଇଛି । ମଧ୍ୟରେ ଭାଇରାଲ ଭିଡିଓର କିଛି ଅଂଶ ଦେଖିବାକୁ ମିଳିଥିଲା । ହେଲେ କିଛି ସମୟପରେ ଏଥିରେ ଅଡିଓ କିଛି ଶୁଭି ନଥିଲା । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଷ୍ଟେଜ ଛାଡି ଯାଇନଥିଲେ । ସେଠାରେ ସେହିପରି ଠିଆହୋଇ ରହିଥିଲେ ।
ସେହିପରି ଉକ୍ତ କିୱାର୍ଡ ଅନୁସନ୍ଧାନ କରିବାରୁ ଏହାର ଏକ ସମ୍ପୂର୍ଣ୍ଣ ଭିଡିଓ ଏକ ଫେସବୁକ ପେଜରେ ଅପଲୋଡ ହୋଇଥିବାର ଦେଖିବାକୁ ପାଇଥିଲୁ । ଭିଡିଓର ୨୯ମିନିଟ ସମୟରେ ସମାନ ଘୋଷଣା ହେଉଥିବାର ଦେଖିବାକୁ ପାଇଥିଲୁ । ପରେପରେ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହା ସରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ସମସ୍ତେ ଠିଆହୋଇ ରହିଥିବାର ଦେଖିବାକୁ ମିଳିଥିଲା ।
ଏଥିରୁ ଜଣାଯାଏ ଯେ, ଦାବିରେ ନାହିଁ କୌଣସି ସତ୍ୟତା । ପ୍ରକୃତ ଭିଡିଓରେ ଜାତୀୟ ସଙ୍ଗୀତ ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଶଣ କରାଯାଇଥିଲା । ତେଣୁ ମୂଳ ଭିଡିଓରୁ ଅଡିଓ ଏଡିଟ କରି ଭୁଲ୍ ଦାବି ସହ ଭାଇରାଲ କରାଯାଇଛି ।

